୧୪ ଏପ୍ରିଲ ୨୦୨୪
ଓଡିଶାରେ ସୌର ମାସ ଅନୁଯାୟୀ ପଞ୍ଜିକା ପ୍ରସ୍ତୁତ କରାଯାଏ।ସୌର ପଞ୍ଜିକାରେ ପ୍ରଥମ ମାସ ମେଷ ମାସ ଅଟେ। ମାସର ପ୍ରଥମ ଦିନକୁ ସଂକ୍ରାନ୍ତି କୁହାଯାଏ । ମେଷ ମାସର ପ୍ରଥମ ଦିନକୁ ମହାବିଷୁବ ସଂକ୍ରାନ୍ତି କୁହାଯାଏ।ଏହି ଦିନଟିକୁ ସଙ୍କଟ ମୋଚନ ପ୍ରଭୁ ଶ୍ରୀହନୁମାନଙ୍କ ପୁଣ୍ୟ ଜନ୍ମତିଥି ଯୋଗୁଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପଣା ନୈବେଦ୍ୟ ଅର୍ପଣ କରାଯାଏ,ତେଣୁ ଏହି ପର୍ବକୁ ମହାବୀର ଜୟନ୍ତୀ ବା ପଣା ସଂକ୍ରାନ୍ତି କୁହାଯାଏ | ପ୍ରତି ଓଡ଼ିଆ ପାଇଁ ଏହା ଏକ ମହାପର୍ବ।
ପ୍ରାଚୀନକାଳରୁ ପ୍ରତି ଓଡ଼ିଆ ମହାବିଷୁବ ସଂକ୍ରାନ୍ତିକୁ ପାରମ୍ପରିକ ନବବର୍ଷ ରୂପେ ପାଳନ କରି ଆସୁଅଛନ୍ତି । କିନ୍ତୁ ଏବେ ଆମ ଭିତରୁ ଅନେକ ଏହାକୁ ଭୁଲିଯାଇଛନ୍ତି।ଓଡିଶାର ନୂତନ ବର୍ଷର ପ୍ରାରମ୍ଭ ପ୍ରଭାତର ସୂର୍ଯ୍ଯୋଦୟରୁ ଆରମ୍ଭ ହୁଏ। ମହାବିଷୁବ ସଂକ୍ରାନ୍ତିରେ ଆଦ୍ଯ ଋତୁ ଗ୍ରୀଷ୍ମ ଋତୁର ପ୍ରାରମ୍ଭ ଏହି ଦିନଠାରୁ ହୋଇଥାଏ। ଗଛ ମାନଂକରେ ନବ କିସଳୟ କୋକିଳର ମଧୁର ଗୁଞ୍ଜନ ମାଟି ମା'କୁ ନୂତନ ରୂପ ଦେଇଥାଏ। ଚାଷୀ ନୂତନ ଶସ୍ଯକୁ ଭଣ୍ଡାରଘରେ ସୁରକ୍ଷିତ ରଖି ଆଗାମୀ ଚାଷକାମ ପାଇଁ ପ୍ରସ୍ତୁତି କାର୍ଯର ପ୍ରାରମ୍ଭ କରିଥାଏ। ଏକ ଗ୍ରୀଷ୍ମ ପ୍ରଧାନ ଓ କୃଷି ପ୍ରଧାନ ରାଷ୍ଟ୍ରରେ ଏହାହିଁତ ପ୍ରକୃତ ନବବର୍ଷର ଆବାହନୀ।
୧୪ ଏପ୍ରିଲ ୨୦୨୪ - ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀକୁ ଆନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ, ଭୁବନେଶ୍ୱର ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ମିଡିଆ ଟେକ୍ନୋଲୋଜି, ଭୁବନେଶ୍ୱର ମିଳିତ ଭାବେ " ଆନ୍ତର୍ଜାତୀୟ ଜୟ ଶ୍ରୀଜଗନ୍ନାଥ ଦିବସ - ଭକ୍ତ ଓ ଭଗବାନଙ୍କ ମହାମିଳନର ମହାପର୍ବ " ଭାବେ ପାଳନ କରି ଆସୁଅଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁ, ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ଅଟନ୍ତି। ନୀଳାଦ୍ରୀ ମହୋଦୟ ବର୍ଣ୍ଣନା ଅନୁସାରେ , ମହାବିଷୁବ ସଂକ୍ରାନ୍ତିରେ ମହାପ୍ରଭୁଙ୍କୁ ସକାଳଧୂପ ପରେ ମହାସ୍ନାନ, ଚନ୍ଦନଲାଗି, ନୂତନ ବସ୍ତ୍ର ପରିଧାନ, ଅନେକ ପ୍ରକାରର ପିଠା ଓ ପଣା ଭୋଗ ଅର୍ପଣ କରାଯାଇଥାଏ।
ତଦନୁସାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ ପ୍ରୀତି ନିମନ୍ତେ ପ୍ରତ୍ୟେକ ଶ୍ରୀଜଗନ୍ନାଥ ଭକ୍ତ ଏବଂ ପ୍ରତି ଓଡିଆ ଘରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ଅଥବା ଚିତ୍ର ପ୍ରତିମାଙ୍କୁ ନୂତନ ବର୍ଷର ସକଳ ଶୁଭ ନିମନ୍ତେ ଆନ୍ତରିକ ଭକ୍ତି ଓ ଶ୍ରଦ୍ଧା ସହ ସାମର୍ଥ୍ୟ ଅନୁସାରେ ଅର୍ଚ୍ଚିନା ପୂର୍ବକ "ଜୟ ଶ୍ରୀଜଗନ୍ନାଥ ଦିବସ" ପାଳନ କରନ୍ତୁ । ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁଙ୍କ ସେବାପୂଜାଠାରୁ ଅଧିକ ମହାପ୍ରଭୁଙ୍କ ଆନ୍ତରିକ ଭକ୍ତ ମାନଙ୍କର ସେବା ଅଟେ। ତେଣୁ ଉକ୍ତଦିନ ଗରିବ, ଅବହେଳିତ ଭକ୍ତ ମାନଙ୍କୁ ମହାପ୍ରଭୁଙ୍କ ପ୍ରସାଦ ବଣ୍ଟନ କରାଯିବା ଉଚିତ। ପ୍ରତ୍ୟେକ ଶ୍ରୀଜଗନ୍ନାଥ ଭକ୍ତ ଏହିପରି ଭାବେ "ଆନ୍ତର୍ଜାତୀୟ ଜୟ ଶ୍ରୀଜଗନ୍ନାଥ ଦିବସ" ପାଳନ କରି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ତ କୃପା ଲାଭ କରନ୍ତୁ। ସମଗ୍ର ବିଶ୍ବ ବ୍ରହ୍ମାଣ୍ଡ ଜୟ ଶ୍ରୀଜଗନ୍ନାଥ ଚେତନାରେ ପରିପୂର୍ଣ୍ଣ ହେଉ। "ଆନ୍ତର୍ଜାତୀୟ ଜୟ ଶ୍ରୀଜଗନ୍ନାଥ ଦିବସ" ପ୍ରତି ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବ ଦିବସ ହେଉ।
ଏହିଦିନ ମଧ୍ୟ ଘର ଆଗରେ ଥିବା ତୁଳସୀ ଚଉରା ଉପରେ ଛାମୁଣ୍ଡିଆ ନିର୍ମାଣ କରି , ସେହି ଛାମୁଣ୍ଡିଆରେ ଏକ ଜଳପୂର୍ଣ୍ଣ ଘଡି ଟାଙ୍ଗି ଦିଆଯାଏ।ଘଡିଟିର ନିମ୍ନ ଭାଗରେ ଏକ ସୂକ୍ଷ୍ମ ରନ୍ଧ୍ରଦେଇ ଜଳଟୋପା ଠପ୍ ଠପ୍ ହୋଇ ତୁଳସୀ ଗଛ ମୂଳରେ ପଡୁଥାଏ। ଏହିଭଳି ଭାବେ ବୃକ୍ଷ ମୂଳରେ ଜଳଦାନ କରିବା ପରମ୍ପରା ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ମେଷ ସଂକ୍ରାନ୍ତି ବା ଓଡିଆ ନବବର୍ଷ ଏହାର ଶ୍ରେଷ୍ଠ ନିଦର୍ଶନ ଅଟେ